Unknown

 

 

 

 

 

 

 

 

 

 

 

ଆପଣଙ୍କ ଆଜ୍ଞାଧୀନ

ଗୌରହରି ଦାସ

 

ପରିଚୟ (Introduction)

 

ଗୌରହରି ଦାସଙ୍କ ଲିଖିତ "ଆପଣଙ୍କ ଆଜ୍ଞାଧୀନ" ଉପନ୍ୟାସଟି ପାଠକକୁ ମଣିଷର ମନସ୍ତତ୍ତ୍ୱର ଗଳିକନ୍ଦି ଭିତରକୁ ନେଇଯାଏ । ମଣିଷ ଚରିତ୍ରର ଜଟିଳତା ଏବଂ ସମାଜରେ ଦାସତ୍ୱ ଓ ତୋଷାମଦର ଭୟଙ୍କର ପ୍ରଭାବ ପୁସ୍ତକଟିର ପ୍ରଧାନ ଉପଜୀବ୍ୟ ।

 

ଲେଖକଙ୍କ ମତରେ, ଆଧୁନିକ ମଣିଷ ହୁଏତ ଦିନେ ମୃତ୍ୟୁ ଉପରେ ବିଜୟ ଲାଭ କରିପାରିବ, ମାତ୍ର ତୋଷାମଦ ପରି ବ୍ୟାଧିରୁ ମୁକ୍ତି ପାଇବା ଅସମ୍ଭବ । ଏହା ଏଭଳି ଏକ ରୋଗ ଯାହା ଧନୀ, ନିର୍ଦ୍ଧନ, ଶିକ୍ଷିତ ବା ଅର୍ଦ୍ଧଶିକ୍ଷିତ ସମସ୍ତଙ୍କୁ ନିଜ କବଳରେ ରଖିଥାଏ ଏବଂ ବିଚାରବନ୍ତ ବୋଲି ଦାବି କରୁଥିବା ମଣିଷ ହିଁ ଏହି ପଙ୍କରେ ଲଟପଟ ହୋଇଥାଏ ।

 

ତୋଷାମଦ ଶୁଣିବାକୁ ଭଲ ପାଉଥିବା ଏବଂ ଚିରକାଳ କାହାର ନା କାହାର ଦାସ ହୋଇ ରହିବାକୁ ଚାହୁଁଥିବା ଲୋକଙ୍କ ଉପରେ କଥାବସ୍ତୁ ଗତିଶୀଳ ହୋଇଛି । ଅନେକ ସମୟରେ ଲୋକମାନେ ଦାୟିତ୍ୱ ଓ ଦାସତ୍ୱ ମଧ୍ୟରେ ଥିବା ପାର୍ଥକ୍ୟକୁ ବୁଝିପାରନ୍ତି ନାହିଁ ଏବଂ ଅପରପକ୍ଷର ଲୋକମାନେ ଏହାକୁ ସେମାନଙ୍କର ଦୁର୍ବଳତା ବୋଲି ଧରି ନିଅନ୍ତି । ତୋଷାମଦକାରୀ ବ୍ୟକ୍ତିମାନେ ନିଜର ଶ୍ରୁତିମଧୁର ଶବ୍ଦ ଏବଂ କପଟ ବିନୟ ପ୍ରଦର୍ଶନ କରି ନିଜର ସ୍ୱାର୍ଥ ହାସଲ କରନ୍ତି, ଯାହାଦ୍ୱାରା ଯୋଗ୍ୟ ବ୍ୟକ୍ତିମାନେ ନିଜ ଅଧିକାରରୁ ବଞ୍ଚିତ ହୁଅନ୍ତି । ଏହି ମନୋବୃତ୍ତି ସମାଜ ପାଇଁ ଅତ୍ୟନ୍ତ କ୍ଷତିକାରକ ।

 

ଲେଖକଙ୍କ ବାସ୍ତବ ଅନୁଭୂତିରୁ ଉପନ୍ୟାସର ମୁଖ୍ୟ ଚରିତ୍ର ଜଳଧର ସୃଷ୍ଟି ହୋଇଛି । ଜଳଧର ପରି ଧୂର୍ତ୍ତ ଚରିତ୍ରମାନେ ନିଜର ଚତୁରତା ବଳରେ ବିଭିନ୍ନ ରାଜନୈତିକ ମତାଦର୍ଶ ରଖୁଥିବା ଶକ୍ତିଶାଳୀ ଲୋକଙ୍କ ମନ କିଣିବାରେ ସମର୍ଥ ହୁଅନ୍ତି ଏବଂ ସେମାନଙ୍କ ବ୍ୟକ୍ତିତ୍ୱକୁ ନିଜ ତୋଷାମଦର ଆଢୁଆଳରେ ଢାଙ୍କି ରଖନ୍ତି । ଉପନ୍ୟାସଟି ସମାଜରେ ପ୍ରଚଳିତ ସାମନ୍ତବାଦୀ ମାନସିକତା ଏବଂ ମଣିଷର ମାନସିକ ଦାସତ୍ୱର ଏକ ନିଚ୍ଛକ ପ୍ରତିଫଳନ ।

 

ପୃଷ୍ଠଭୂମି (Setting and Context)

 

ଉପନ୍ୟାସର ପୃଷ୍ଠଭୂମି ଓଡ଼ିଶାର ଏକ ବିଶିଷ୍ଟ ସାମାଜିକ-ରାଜନୈତିକ ପରିବେଶ ଉପରେ ପର୍ଯ୍ୟବସିତ, ମୁଖ୍ୟତଃ ଭଦ୍ରକ ଜିଲ୍ଲାର ନଈନାଳ ଘେରା ପାଟପୁର ଗ୍ରାମରେ କେନ୍ଦ୍ରିତ । ସ୍ଥାନଟି ସଂପୂର୍ଣ୍ଣ ଭାବେ ସହର ନୁହେଁ କି ମଫସଲ ନୁହେଁ । ଗ୍ରାମର ନାଲିଗୋଡ଼ି ରାସ୍ତା, ଗହଳ ବଗିଚା ଏବଂ ପୋଖରୀ ଏକ ପାରମ୍ପରିକ ଓଡ଼ିଆ ପରିବେଶର ସୃଷ୍ଟି କରନ୍ତି ।

 

ଉପନ୍ୟାସର ମୁଖ୍ୟ ପୃଷ୍ଠଭୂମି ଶିବପ୍ରସାଦ ସାମନ୍ତରାଙ୍କ ବିରାଟ ଖଞ୍ଜାଘର, ଯାହା ଏକ ଆୟତକ୍ଷେତ୍ର ପରି ଲମ୍ବିଛି । ଏହି ଘରର ପ୍ରଶସ୍ତ ମେଜିଆ, ବହିଥାକରେ ଭରା ପାଠାଗାର ଏବଂ "ମେଲାଘର" ବା କଚେରି ଘର ପୂର୍ବତନ ସାମନ୍ତବାଦୀ ବୈଭବର ସୂଚନା ଦିଏ । ଲେଖକ କାହାଣୀକୁ ସାମନ୍ତବାଦୀ ପରମ୍ପରା ଏବଂ ଆଧୁନିକ ଗଣତନ୍ତ୍ର ମଧ୍ୟରେ ଥିବା ଏକ ସନ୍ଧିକ୍ଷଣରେ ସ୍ଥାପନ କରିଛନ୍ତି । ଜମିଦାରୀ ପ୍ରଥା ଉଚ୍ଛେଦ ଏବଂ ଜମି ସିଲିଂ ଆଇନ ପରବର୍ତ୍ତୀ ସମୟକୁ ଏହି ପୃଷ୍ଠଭୂମିରେ ବ୍ୟବହାର କରାଯାଇଛି, ଯେଉଁଠି ପୁରୁଣା ସମ୍ଭ୍ରାନ୍ତ ଶ୍ରେଣୀ ନିଜର ଅସ୍ତିତ୍ୱ ଓ ସମ୍ମାନ ରକ୍ଷା ପାଇଁ ସଂଘର୍ଷ କରୁଛନ୍ତି । ରାଜନୈତିକ ବାତାବରଣ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ନିର୍ବାଚନର ଉତ୍ତେଜନା, ଭୋଟ୍ ପାଇଁ ମାଛ-ମାଂସ ଭୋଜି, ବେନାମୀ ଚିଠି ମାଧ୍ୟମରେ ଷଡ଼ଯନ୍ତ୍ର ଏବଂ ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା ଗ୍ରାମୀଣ ଜୀବନର ପରିବେଶକୁ ଜଟିଳ କରିଛି । ଏହା ସହିତ ଗ୍ରାମାଞ୍ଚଳର ମନୋରଞ୍ଜନ ମାଧ୍ୟମ ଭାବେ 'ଅପେରା ପାର୍ଟି' ଏବଂ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ 'ଅଷ୍ଟପ୍ରହରୀ' ର ଆୟୋଜନ କାହାଣୀର ପୃଷ୍ଠଭୂମିକୁ ଆହୁରି ସରସ କରିଥାଏ । ପାଟପୁରର ଏହି ପରିବେଶରେ ତୋଷାମଦକାରୀ, ସ୍ୱାର୍ଥାନ୍ୱେଷୀ ଏବଂ ବିଶ୍ୱସ୍ତ ସେବକମାନଙ୍କର ଏକ ବିଚିତ୍ର ସହାବସ୍ଥାନ ଦେଖିବାକୁ ମିଳେ । ସାମାଜିକ ମୂଲ୍ୟବୋଧର ପରିବର୍ତ୍ତନ ଓ ମଣିଷର ଦାସତ୍ୱ ପ୍ରତିପାଦନ ପାଇଁ ଉପନ୍ୟାସରେ ଯଥେଷ୍ଟ ଖୋରାକ ରହିଛି ।

 

ପ୍ରମୁଖ ପାତ୍ରମାନେ (Major Characters)

 

ବିଭିନ୍ନ ଚରିତ୍ର ମାଧ୍ୟମରେ ଲେଖକ ଉପନ୍ୟାସର କାହାଣୀ ବଳୟକୁ ଗତିଶୀଳ କରିପାରିଛନ୍ତି ।

 

ଜଳଧର: ଜଳଧର ଏକ ଧୂର୍ତ୍ତ ଓ ତୋଷାମଦକାରୀ ଚରିତ୍ର । ସେ ନିଜ ସ୍ୱାର୍ଥ ପାଇଁ ସାମନ୍ତରାଙ୍କୁ ଭଣ୍ଡ ପ୍ରଶଂସା କରି ନିଜର ଆର୍ଥିକ ଫାଇଦା ହାସଲ କରେ ।

 

ଶିବପ୍ରସାଦ ସାମନ୍ତରା: ସାମନ୍ତରା ଜଣେ ସମ୍ଭ୍ରାନ୍ତ, ଶିକ୍ଷିତ ଏବଂ ଉଦାର ଜମିଦାର । ନିର୍ବାଚନରେ ହାରିବା ପରେ ସେ ମାନସିକ ସ୍ତରରେ ଦୁର୍ବଳ ହୋଇ ତୋଷାମଦକାରୀଙ୍କ ଜାଲରେ ଛନ୍ଦି ହୁଅନ୍ତି ।

 

ସନାତନ ଦାସ: ସନାତନ ଦାସ ଜଣେ ଅତି ବିଶ୍ୱସ୍ତ ଏବଂ କର୍ତ୍ତବ୍ୟପରାୟଣ ଗୁମାସ୍ତା । ସେ ଦୀର୍ଘ ତିରିଶି ବର୍ଷ ଧରି ସାମନ୍ତରା ପରିବାରର ସେବା ଓ ହିସାବପତ୍ର ନିଷ୍ଠାର ସହ ବୁଝନ୍ତି ।

ସୋନି: ଶିବପ୍ରସାଦଙ୍କ ଉଚ୍ଚଶିକ୍ଷିତା କନ୍ୟା ସୋନି ଜଣେ ଗବେଷିକା । ସେ ଆଧୁନିକ ଚିନ୍ତାଧାରାସମ୍ପନ୍ନ ଏବଂ ସାମାଜିକ ସମସ୍ୟା ପ୍ରତି ଖୁବ୍ ସଚେତନ ଓ ସ୍ପଷ୍ଟବାଦୀ ।

ସୁକଲ୍ୟାଣ ଦାସ: ସନାତନଙ୍କ ପୁଅ ସୁକଲ୍ୟାଣ ରେଳବାଇର ଜଣେ ବରିଷ୍ଠ ଅଧିକାରୀ-। ସେ ସ୍ୱାଭିମାନୀ ଏବଂ ମାନସିକ ଦାସତ୍ୱର ଘୋର ବିରୋଧୀ, ନିଜ ପିତାଙ୍କୁ ସମ୍ମାନର ସହ ବଞ୍ଚିବାକୁ କହନ୍ତି ।

ଗୋବିନ୍ଦ ପରିଡ଼ା: ଗୋବିନ୍ଦ ପରିଡ଼ା ଜଣେ ଚତୁର ଚରିତ୍ର, ସେ ବେନାମୀ ଚିଠି ଲେଖି ଷଡ଼ଯନ୍ତ୍ର କରେ । ସେ ଜଳଧର ସହ ମିଶି ସନାତନଙ୍କ ବିରୋଧରେ କୁତ୍ସା ରଟନା କରନ୍ତି ।

ସୁଲକ୍ଷଣା: ଶିବପ୍ରସାଦଙ୍କ ପତ୍ନୀ ସୁଲକ୍ଷଣା ଜଣେ ସାଧାରଣ ଗୃହିଣୀ । ସେ ସବୁବେଳେ ଝିଅର ବାହାଘର ଏବଂ ନିଜ ପରିବାରର ସୁରକ୍ଷା ଓ ସମ୍ପତ୍ତି ପାଇଁ ଚିନ୍ତିତ ରହନ୍ତି ।

ପ୍ରାଣକୃଷ୍ଣ: ସାମନ୍ତରାଙ୍କ ରୋଷେୟା ପ୍ରାଣକୃଷ୍ଣ ଜଣେ ସରଳ ଓ ବିଶ୍ୱସ୍ତ ସେବକ । ସେ ସନାତନଙ୍କୁ ଭଲ ପାଆନ୍ତି ଏବଂ ବିପଦ ସମୟରେ ତାଙ୍କ ଜୀବନ ରକ୍ଷା କରନ୍ତି ।

ବୃନ୍ଦାବନ ମହାନ୍ତି: ବୃନ୍ଦାବନ ମହାନ୍ତି ଜଣେ ରାଜନେତା । ସେ ନିର୍ବାଚନରେ ଶିବପ୍ରସାଦଙ୍କୁ ହରାଇଛନ୍ତି ଓ ଲୋକଙ୍କୁ ପ୍ରଲୋଭିତ କରି ଗଣତନ୍ତ୍ରରେ ନିଜର ପ୍ରଭାବ ବିସ୍ତାର କରିବା ଜାଣନ୍ତି ।

ବିଷୟବସ୍ତୁ (Main Content)

କାହାଣୀଟି ଓଡ଼ିଶାର ଭଦ୍ରକ ଜିଲ୍ଲାର ପାଟପୁର ଗ୍ରାମକୁ କେନ୍ଦ୍ର କରି ଗତିଶୀଳ । ପାଟପୁର ଏପରି ଏକ ଜାଗା ଯାହା ସଂପୂର୍ଣ୍ଣ ସହର ନୁହେଁ କି ମଫସଲ ନୁହେଁ । ଏହି ଗ୍ରାମର ପ୍ରଭାବଶାଳୀ ବ୍ୟକ୍ତି ହେଉଛନ୍ତି ଶିବପ୍ରସାଦ ସାମନ୍ତରା, ଯିଏ ଜଣେ ସମ୍ଭ୍ରାନ୍ତ ଓ ଶିକ୍ଷିତ ଜମିଦାର ପରିବାରର ଦାୟାଦ । ଶିବପ୍ରସାଦଙ୍କ ବିରାଟ ଖଞ୍ଜାଘର, ସେଠାରେ ଥିବା ପାଠାଗାର ଏବଂ ସାମନ୍ତବାଦୀ ଚଳଣି ଏହି କାହାଣୀକୁ ଏକ ସ୍ୱତନ୍ତ୍ର ପରିବେଶ ପ୍ରଦାନ କରେ ।

 

ଉପନ୍ୟାସର ଅନ୍ୟ ଏକ ଚରିତ୍ର ସନାତନ ଦାସ । ସେ ଶିବପ୍ରସାଦଙ୍କ ବିଶ୍ୱସ୍ତ ଗୁମାସ୍ତା । ସନାତନ ଦୀର୍ଘ ତିରିଶ ବର୍ଷ ଧରି ଏହି ପରିବାରର ସେବା କରିଆସୁଛନ୍ତି । ସେ ନିଜର କର୍ତ୍ତବ୍ୟକୁ ଧର୍ମ ବୋଲି ମାନନ୍ତି ଏବଂ ସାମନ୍ତରାଙ୍କ ଟଙ୍କାକୁ "ନିର୍ମାଲ୍ୟ" ଭାବେ ଗ୍ରହଣ କରନ୍ତି । ସନାତନଙ୍କ ପାଇଁ ସାମନ୍ତରାଙ୍କ ସ୍ୱାର୍ଥ ରକ୍ଷା ହିଁ ଜୀବନର ପରମ ବ୍ରତ । ଅନ୍ୟପକ୍ଷରେ, ଶିବପ୍ରସାଦ ସନାତନଙ୍କୁ ଅନ୍ଧ ଭାବରେ ବିଶ୍ୱାସ କରନ୍ତି ସତ, ମାତ୍ର କିନ୍ତୁ ତାଙ୍କର ଏହି ବିଶ୍ୱାସ ଭିତରେ କେଉଁଠି ନା କେଉଁଠି ଏକ ସାମନ୍ତବାଦୀ ଅହଙ୍କାର ମଧ୍ୟ ଲୁଚି ରହିଛି, ଯାହା ପରବର୍ତ୍ତୀ ସମୟରେ ଷଡ଼ଯନ୍ତ୍ରର କାରଣ ହୁଏ ।

 

କାହାଣୀର ମୁଖ୍ୟ ଖଳନାୟକ ଜଳଧର ହେଉଛି ତୋଷାମଦ ଓ ଚତୁରତାର ଏକ ଜ୍ୱଳନ୍ତ ପ୍ରତୀକ । ଜଳଧର ସାମନ୍ତରାଙ୍କୁ ତୋଷାମଦ କରି ନିଜର ସ୍ୱାର୍ଥ ହାସଲ କରିବାକୁ ଚାହେଁ । ସେ ସାମନ୍ତରାଙ୍କୁ ଖୁସି କରିବା ପାଇଁ କହେ, "ଆପଣ ପ୍ରଜାପତି ହେଲେ ଆମେ ଫୁଲ... ଆପଣ ଆମର ଈଶ୍ୱର" । ଜଳଧରର ମୁଖ୍ୟ ଲକ୍ଷ୍ୟ ହେଉଛି ସନାତନ ଦାସଙ୍କୁ ସାମନ୍ତରାଙ୍କ ପାଖରୁ ଦୂରେଇ ଦେବା, ଫଳରେ ସେ ନିଜେ ସାମନ୍ତରାଙ୍କ ସମ୍ପତ୍ତି ଓ ଅପେରା ପାର୍ଟିର ମ୍ୟାନେଜର ହୋଇପାରିବ । ଏହି କାର୍ଯ୍ୟରେ ତାକୁ ସାହାଯ୍ୟ କରେ ବେନାମୀ ଚିଠି ଲେଖିବାରେ ଅଭ୍ୟସ୍ତ ଗୋବିନ୍ଦ ପରିଡ଼ା । ସେମାନେ ମିଶି ସନାତନଙ୍କ ବିରୋଧରେ ବିଷୋଦଗାର କରିବା ଆରମ୍ଭ କରନ୍ତି ।

 

ଉପନ୍ୟାସରେ ରାଜନୀତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଶିବପ୍ରସାଦ ନିର୍ବାଚନରେ ଛିଡ଼ା ହୋଇ ବୃନ୍ଦାବନ ମହାନ୍ତିଙ୍କ ଠାରୁ ହାରିଯାଇଛନ୍ତି । ଏହି ପରାଜୟ ତାଙ୍କୁ ମାନସିକ ସ୍ତରରେ ଦୁର୍ବଳ କରିଦେଇଛି । ଜଳଧର ଭଳି ଲୋକମାନେ ନିର୍ବାଚନ ସମୟରେ ଖୁବ୍‌ ଟଙ୍କା ପଇସା ଆତ୍ମସାତ କରିଛନ୍ତି ଏବଂ ଏବେ ମଧ୍ୟ ନିଜର ସ୍ଥିତି ସୁଦୃଢ଼ କରିବା ପାଇଁ ସାମନ୍ତରାଙ୍କୁ ପ୍ରଶଂସାରେ ଭୁଲାଇ ରଖିଛନ୍ତି । ନିର୍ବାଚନରେ ମାଛମାଂସ ଓ ମଦର ଯେଉଁ ଖେଳ ଚାଲେ, ତାହା ଗଣତନ୍ତ୍ରର ଅସଲ ରୂପକୁ ଏହି ଉପନ୍ୟାସରେ ପଦାରେ ପକାଇଛି ।

 

ଉପନ୍ୟାସରେ ଦୁଇଟି ଆଧୁନିକ ଚରିତ୍ର ହେଉଛନ୍ତି ଶିବପ୍ରସାଦଙ୍କ ଝିଅ ସୋନି ଏବଂ ସନାତନଙ୍କ ପୁଅ ସୁକଲ୍ୟାଣ । ସୋନି ଜଣେ ଗବେଷିକା, ଯିଏ ଲଣ୍ଡନରୁ ଫେରିଛି ଏବଂ ସମାଜରେ ନାରୀମାନଙ୍କ ସ୍ଥିତି ଉପରେ ଗବେଷଣା କରୁଛି । ସେ ଜଣେ ସ୍ପଷ୍ଟବାଦୀ ଏବଂ ଆଧୁନିକ ଚିନ୍ତାଧାରାର ଯୁବତୀ । ଅନ୍ୟପକ୍ଷରେ, ସୁକଲ୍ୟାଣ ରେଳବାଇର ଜଣେ ଅଧିକାରୀ । ସୁକଲ୍ୟାଣ ନିଜ ପିତାଙ୍କର ସାମନ୍ତବାଦ ପ୍ରତି ଥିବା ଆନୁଗତ୍ୟକୁ ପସନ୍ଦ କରେ ନାହିଁ । ସେ କହେ ଯେ, "ପୃଥିବୀରେ କେହି ଅପରିହାର୍ଯ୍ୟ ନୁହଁନ୍ତି" ଏବଂ ମାନସିକ ଦାସତ୍ୱରୁ ମୁକ୍ତି ପାଇବା ଜରୁରି । ଟ୍ରେନ୍‌ ଭିତରେ ସୋନି ଓ ସୁକଲ୍ୟାଣଙ୍କ ମଧ୍ୟରେ ଥିବା କଥୋପକଥନ ଉପନ୍ୟାସର ତାତ୍ତ୍ୱିକ ଦିଗକୁ ଆହୁରି ସମୃଦ୍ଧ କରିଛି ।

 

ଉପନ୍ୟାସର କାହାଣୀରେ ଏକ ନୂଆ ମୋଡ଼ ଆସେ ଯେତେବେଳେ ସାମନ୍ତରାଙ୍କ ଘରେ ଚୋରି ହୁଏ । ଜଳଧର ଏବଂ ଗୋବିନ୍ଦ ମିଶି ଏହି ଚୋରିର ନାଟକ ରଚନା କରନ୍ତି ଏବଂ ଚୋରି ହୋଇଥିବା ଗହଣାକୁ ସନାତନଙ୍କ ଘର ପଛରେ ଲୁଚାଇ ରଖନ୍ତି । ପୁଲିସ୍‌ ତଦନ୍ତ ସମୟରେ ଗହଣା ମିଳିବା ପରେ ସନାତନଙ୍କ ଉପରେ ସନ୍ଦେହ ଦୃଢ଼ୀଭୂତ ହୁଏ । ଜଳଧର ଲେଖାଇଥିବା ବେନାମୀ ଚିଠି ଯୋଗୁଁ ଶିବପ୍ରସାଦଙ୍କ ପତ୍ନୀ ସୁଲକ୍ଷଣା ମଧ୍ୟ ସନାତନଙ୍କ ଉପରେ କ୍ଷୋଭ ପ୍ରକାଶ କରନ୍ତି । ବିଶ୍ୱାସର ଭିତ୍ତିଭୂମି ଦୋହଲିବାକୁ ଆରମ୍ଭ କରେ ।

 

ସାମନ୍ତରାଙ୍କ ରିଷ୍ଟ ଖଣ୍ଡନ ପାଇଁ ଜଳଧରର ପରାମର୍ଶରେ ଅଷ୍ଟପ୍ରହରୀ କୀର୍ତ୍ତନର ଆୟୋଜନ କରାଯାଏ । ଏହି କୀର୍ତ୍ତନର ଆଡ଼ମ୍ବର ଭିତରେ ଜଳଧର ନିଜର ଅସଲ ରୂପ ଦେଖାଏ-। ସେ ଓ ତା’ର ସହଯୋଗୀମାନେ ଜ୍ୱରରେ ପଡ଼ିଥିବା ସନାତନଙ୍କ ଉପରକୁ ରାତି ଅନ୍ଧାରରେ ଟେକା ମାଡ଼ କରନ୍ତି ଏବଂ ପରେ ତାଙ୍କ ତଣ୍ଟି ଚିପି ହତ୍ୟା କରିବାକୁ ଚେଷ୍ଟା କରନ୍ତି । ରୋଷେୟା ପ୍ରାଣକୃଷ୍ଣ ଏହି ଦୃଶ୍ୟ ଦେଖିପାରେ ଏବଂ ମ୍ୟାନେଜର ସନାତନଙ୍କ ଜୀବନ ରକ୍ଷା କରେ-

 

ସନାତନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଏ । ସୁକଲ୍ୟାଣ ଧାଇଁଆସି ନିଜ ପିତାଙ୍କୁ ସେହି ଅପମାନିତ ପରିବେଶରୁ ନେଇଯିବାକୁ ଚାହେଁ । ଶିବପ୍ରସାଦ ନିଜର ଭୁଲ ବୁଝିପାରି ଅନୁତାପ କରନ୍ତି, ମାତ୍ର ସେତେବେଳକୁ ବହୁତ ବିଳମ୍ବ ହୋଇଯାଇଥାଏ । ସୁକଲ୍ୟାଣ ଶିବପ୍ରସାଦଙ୍କୁ ରୋକ୍‌ଠୋକ୍‌ କହିଦିଏ ଯେ, ତାଙ୍କ ପିତା ଜୀବନର ତିରିଶ ବର୍ଷ କେବଳ ତାଙ୍କର "ଆଜ୍ଞାଧୀନ" ହୋଇ ରହିବା ଲାଗି ନିଜର ସବୁ ସୁଖ ଭୁଲିଯାଇଥିଲେ । ଉପନ୍ୟାସର ଶେଷରେ ସନାତନ ଦାସ ମାନସିକ ଦାସତ୍ୱର ଶୃଙ୍ଖଳା ଛିନ୍ନ କରି ନିଜ ପୁଅ ସହ ଚାଲିଯାଆନ୍ତି । ଶିବପ୍ରସାଦ ଏକାକୀ ନିଜର ସାମନ୍ତବାଦୀ ଅହଙ୍କାର ଓ ଅନୁତାପର ନିଆଁରେ ଜଳନ୍ତି ।

 

"ଆପଣଙ୍କ ଆଜ୍ଞାଧୀନ" ଉପନ୍ୟାସଟି ସମାଜରେ ପ୍ରଚଳିତ ତୋଷାମଦର ରାଜନୀତି ଏବଂ ମଣିଷର ଅସହାୟ ଦାସତ୍ୱକୁ ଅତି ନିଚ୍ଛକ ଭାବେ ଉପସ୍ଥାପନ କରିଛି । ଅନ୍ଧ ଆନୁଗତ୍ୟ ହିଁ ଅପମାନଜନକ ଏବଂ ଆତ୍ମସମ୍ମାନର ସହ ବଞ୍ଚିବା ହିଁ ପ୍ରକୃତ ଜୀବନ, ସୃଷ୍ଟିର ସବୁଠୁ ବୁଦ୍ଧିମାନ ମଣିଷ ହିଁ ଏହି ତୋଷାମଦର ପଙ୍କରେ ଲଟପଟ ହୋଇ ନିଜର ବିବେକ ହରାଏ– ଲେଖକ ପୁସ୍ତକରେ ଏହାହିଁ ଦର୍ଶାଇଛନ୍ତି ।

 

ଉପସଂହାର (Conclusion)

 

ଏହି ଉପନ୍ୟାସ ମଣିଷର ଆତ୍ମସମ୍ମାନ, ମାନସିକ ଦାସତ୍ୱରୁ ମୁକ୍ତି ଏବଂ ସାମାଜିକ ମୂଲ୍ୟବୋଧର ଏକ ଶକ୍ତିଶାଳୀ ବିଶ୍ଳେଷଣ । ଜଣେ ନିଷ୍ଠାପର ସେବକ ତିରିଶ ବର୍ଷର ଆନୁଗତ୍ୟ ପରେ ମଧ୍ୟ ସନ୍ଦେହର ଶିକାର ହୋଇ ଅପମାନିତ ହେବା ଏବଂ ଶେଷରେ ନିଜର ସ୍ୱାଭିମାନ ଫେରିପାଇବା ଏହି ଉପନ୍ୟାସର ମୂଳକଥା ।

 

ସନାତନ ଦାସଙ୍କୁ ଦାସତ୍ୱର ଶୃଙ୍ଖଳରୁ ମୁକ୍ତିଦେବା ଏହି ଉପନ୍ୟାସର ପରିଣତି । ଜୀବନର ସମସ୍ତ ସୁଖ ଓ ସମୟକୁ ଜମିଦାର ଶିବପ୍ରସାଦ ସାମନ୍ତରାଙ୍କ ପାଦତଳେ ସମର୍ପି ଦେଇଥିବା ସନାତନ ଯେତେବେଳେ ଜଳଧର ପରି ଧୂର୍ତ୍ତ ଲୋକଙ୍କ ଷଡ଼ଯନ୍ତ୍ର ଯୋଗୁଁ ଅପମାନିତ ହୁଅନ୍ତି, ସେତେବେଳେ ତାଙ୍କ ଭିତରେ ଥିବା "ଆଜ୍ଞାଧୀନ" ମଣିଷଟି ଶେଷ ହୋଇଯାଏ । ତାଙ୍କ ପୁଅ ସୁକଲ୍ୟାଣ ଏଠାରେ ଏକ ନୂତନ ପିଢ଼ିର ପ୍ରତିନିଧି ଭାବେ ଉଭା ହୋଇଛି । ସେ ନିଜ ପିତାଙ୍କୁ ସେହି ଅଣନିଃଶ୍ୱାସୀ ପରିବେଶରୁ ମୁକ୍ତ କରି ସମ୍ମାନର ସହ ବଞ୍ଚିବାର ରାସ୍ତା ଦେଖାଇଛି । ସୁକଲ୍ୟାଣଙ୍କ ଯୁକ୍ତି ହେଉଛି ଯେ ପୃଥିବୀରେ କେହି ଅପରିହାର୍ଯ୍ୟ ନୁହନ୍ତି ଏବଂ ମାନସିକ ଦାସତ୍ୱ ମଣିଷକୁ କେବଳ ଶୋଷଣ ହିଁ ଦିଏ ।

 

ଶିବପ୍ରସାଦ ସାମନ୍ତରାଙ୍କ ଅନୁତାପ ମଧ୍ୟ ଉପସଂହାରକୁ ଆହୁରି ମର୍ମସ୍ପର୍ଶୀ କରିଛି । ସେ ନିଜର ଭୁଲ ବୁଝିପାରନ୍ତି, ମାତ୍ର ସେତେବେଳକୁ ବହୁତ ବିଳମ୍ବ ହୋଇସାରିଥାଏ । ଜଣେ ବିଶ୍ୱସ୍ତ ବନ୍ଧୁ ଓ ସେବକଙ୍କୁ ହରାଇ ସେ ଯେଉଁ ଏକାକୀତ୍ୱ ଅନୁଭବ କରନ୍ତି, ତାହା ତୋଷାମଦପ୍ରିୟ ମଣିଷ ପାଇଁ ଏକ ଚେତାବନୀ ସଦୃଶ । ତୋଷାମଦକାରୀ ଚରିତ୍ରମାନେ ସାମୟିକ ଭାବେ ସଫଳ ହେଲେ ହେଁ, ସେମାନେ ସମାଜ ପାଇଁ ଅତ୍ୟନ୍ତ କ୍ଷତିକାରକ ବୋଲି ଲେଖକ ପ୍ରମାଣ କରିଛନ୍ତି ।

 

ଉପନ୍ୟାସର ଶେଷ ବାକ୍ୟ "ଆପଣଙ୍କର ଏ ଆଜ୍ଞାଧୀନକୁ କ୍ଷମା କରିଦେବେ" ଏକ ବଡ଼ ବ୍ୟଙ୍ଗ । ଏହା ସୂଚାଏ ଯେ ସନାତନ ଆଉ ଆଜ୍ଞାଧୀନ ହୋଇ ରହିବାକୁ ଚାହାନ୍ତି ନାହିଁ । ସନାତନଙ୍କ ପ୍ରସ୍ଥାନ କେବଳ ପାଟପୁରରୁ ବିଦାୟ ନୁହେଁ, ବରଂ ଏକ ସାମନ୍ତବାଦୀ ମାନସିକତାର ପରାଜୟ ଓ ଆତ୍ମସମ୍ମାନର ବିଜୟ ।

Image